
ପୁରୀ,02 ଜୁଲାଇ (ହି.ସ.) -ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ରରଥଯାତ୍ରା–୨୦୨୬ କୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଏସ ପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସନ୍ତା ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା। ବିଶେଷକରି ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ସେବାୟତମାନଙ୍କ ସହ ସୁଚାରୁ ସମନ୍ୱୟ ନେଇ ଗଭୀର ଆଲୋଚନା ହୋଇଥିଲା। ଏହି ବୈଠକରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର ଉପସ୍ଥିତ ଥିଲେ। ସେ ରଥଯାତ୍ରା ସମୟରେ ସେବାୟତମାନଙ୍କ ଭୂମିକା, ପାରମ୍ପରିକ ନୀତିକାନ୍ତି ଓ ଭକ୍ତମାନଙ୍କ ଦର୍ଶନ ସୁବିଧା ବିଷୟରେ ନିଜ ମତାମତ ରଖିଥିଲେ। ସେ ପୁରୀ ପୋଲିସ ସହ ସମ୍ପୂର୍ଣ୍ଣ ସହଯୋଗ ଓ ସମନ୍ୱୟର ଆଶ୍ୱାସନ ଦେଇଥିଲେ। ଏସ ପି ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିଥାନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରାଥମିକତା। ସେ ଆହୁରି କହିଥିଲେ ଯେ, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବା ସହିତ ଭିଡ଼ ନିୟନ୍ତ୍ରଣ, ଆପତ୍କାଳୀନ ସେବା, ଟ୍ରାଫିକ ପରିଚାଳନା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ରଥଯାତ୍ରାକୁ ସଫଳ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କରିଥିଲେ।
ଏହି ବୈଠକରେ ପୁରୀ ପୋଲିସର ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ରଥଯାତ୍ରା ୨୦୨୬ କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସଫଳ କରିବା ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ। ପୁରୀ ପୋଲିସ ରଥଯାତ୍ରା–୨୦୨୬ ପାଇଁ ସମସ୍ତ ପ୍ରସ୍ତୁତିକୁ ସୁଚାରୁ ଭାବରେ ଆଗେଇ ନେଉଛି ଏବଂ ଏହି ବିଶ୍ୱ ପ୍ରସିଦ୍ଧ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବରେ ସମ୍ପନ୍ନ କରିବାକୁ ସହମତି ପ୍ରକାଶ ପାଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ