ମାଲକାନଗିରିରେ ଜନଗଣନା-୨୦୨୭ର ବୃହତ ପ୍ରଶିକ୍ଷଣ ଶିବିର ଆରମ୍ଭ: ଜିଲ୍ଲାର ପ୍ରଗତି ପାଇଁ ସଠିକ୍ ଓ ନିର୍ଭୁଲ ଗ୍ରାମ୍ୟ ତଥ୍ୟ ସଂଗ୍ରହ ଉପରେ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଗୁରୁତ୍ୱ
ମାଲକାନଗିରି , ୨ ଜୁଲାଇ (ହି.ସ.) -ମାଲକାନଗିରି ଜିଲ୍ଲା ପରିଷଦ ଅନ୍ତର୍ଗତ ଜିଲ୍ଲା ପଞ୍ଚାୟତ ସାଧନ ପ୍ରଶିକ୍ଷଣ ଗୃହଠାରେ ଜନଗଣନା-୨୦୨୭ ର ସଫଳ ରୂପାୟନ ପାଇଁ ଏକ ବୃହତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ ଅ
ମାଲକାନଗିରିରେ ଜନଗଣନା-୨୦୨୭ର ବୃହତ ପ୍ରଶିକ୍ଷଣ ଶିବିର ଆରମ୍ଭ: ଜିଲ୍ଲାର ପ୍ରଗତି ପାଇଁ ସଠିକ୍ ଓ ନିର୍ଭୁଲ ଗ୍ରାମ୍ୟ ତଥ୍ୟ ସଂଗ୍ରହ ଉପରେ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଗୁରୁତ୍ୱ


ମାଲକାନଗିରି , ୨ ଜୁଲାଇ (ହି.ସ.) -ମାଲକାନଗିରି ଜିଲ୍ଲା ପରିଷଦ ଅନ୍ତର୍ଗତ ଜିଲ୍ଲା ପଞ୍ଚାୟତ ସାଧନ ପ୍ରଶିକ୍ଷଣ ଗୃହଠାରେ ଜନଗଣନା-୨୦୨୭ ର ସଫଳ ରୂପାୟନ ପାଇଁ ଏକ ବୃହତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେଆଗାମୀ ଦିନରେ ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦଲିଲ କୁହାଯାଉଥିବା ଜିଲ୍ଲା ଜନଗଣନା ପୁସ୍ତିକା ର ପ୍ରସ୍ତୁତି ପାଇଁ ଏହି ସ୍ୱେଚ୍ଛାକୃତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ପ୍ରଥମ ଦିବସର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ରାଜସ୍ୱ ନିରୀକ୍ଷକ , ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନେ କ୍ଷେତ୍ର କର୍ମଚାରୀ ଭାବେ ଯୋଗଦେଇ ଆଗାମୀ ମହା ଜନଗଣନାର ଜ୍ଞାନ କୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଗ୍ରହଣ କରିଛନ୍ତି। ବିଶେଷ କରି ଗ୍ରାମ୍ୟ ସୂଚୀ ର ସଠିକ୍ ଏବଂ ବ୍ୟାପକ ପ୍ରସ୍ତୁତି ପାଇଁ କ୍ଷେତ୍ର ସ୍ତରରୁ କିପରି ସମ୍ପୂର୍ଣ୍ଣ, ନିରପେକ୍ଷ ଏବଂ ନିର୍ଭୁଲ ସୂଚନା ସଂଗ୍ରହ କରାଯାଇପାରିବ, ସେହି ଦିଗ ଉପରେ ଏହି ଶିବିରରେ ବିସ୍ତୃତ ଭାବେ ଆଲୋଚନା କରାଯାଇ କର୍ମଚାରୀମାନଙ୍କୁ ସଜାଗ କରାଯାଇଛି।ଏହି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିର ସମୀକ୍ଷା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏଥିରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଉପଲବ୍ଧତା, ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ସୁବିଧା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଗ୍ରାମୀଣ ପରିମଳ ଏବଂ ବିଦ୍ୟୁତ ଶକ୍ତି ସହିତ ବିକଳ୍ପ ଇନ୍ଧନର ବ୍ୟବହାର ଭଳି ଅତି ଆବଶ୍ୟକୀୟ ବିଷୟଗୁଡ଼ିକୁ ସାମିଲ କରାଯାଇଛି। ଏହା ସହିତ ସୁଦୂର ଗ୍ରାମାଞ୍ଚଳକୁ ଯୋଗାଯୋଗ, ପରିବହନ ସେବା, ସଡ଼କ ସଂଯୋଗୀକରଣ, ଡିଜିଟାଲ ନେଟୱର୍କ ଏବଂ ଆର୍ଥିକ ସମାବେଶୀକରଣ ପାଇଁ ବ୍ୟାପକ ବ୍ୟାଙ୍କିଙ୍ଗ ଓ ଋଣ ସୁବିଧା ଗୁଡ଼ିକର ବାସ୍ତବ ସ୍ଥିତି ଯାଞ୍ଚ କରିବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। କେବଳ ସେତିକି ନୁହେଁ, ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ ସଦୃଶ ଥିବା କୃଷି କ୍ଷେତ୍ର, ଜମିର ସଠିକ୍ ବ୍ୟବହାର, ଜଳସେଚନର ଉତ୍ସ, ମୁଖ୍ୟ ଶସ୍ୟ ଉତ୍ପାଦନ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାୟନ ଏବଂ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟକଳାପର ସଠିକ୍ ପରିସଂଖ୍ୟାନ ପ୍ରସ୍ତୁତ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ବିଶେଷ ଭାବେ ତାଲିମ ପ୍ରଦାନ କରାଯାଇଛି।ଜିଲ୍ଲା ଜନଗଣନା ପ୍ରକୋଷ୍ଠ ପକ୍ଷରୁ ଏହି ଅବସରରେ ସୂଚନା ଦିଆଯାଇଛି ଯେ, ଜନଗଣନା-୨୦୨୭ ର ସମ୍ପୂର୍ଣ୍ଣ ସଫଳତା କେବଳ ଏହି କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ତଥ୍ୟ ସଂଗ୍ରହ ଏବଂ କଠିନ ପରିଶ୍ରମ ଉପରେ ହିଁ ନିର୍ଭର କରେ। କ୍ଷେତ୍ର ସ୍ତରରୁ ମିଳୁଥିବା ଗୋଟିଏ ଗୋଟିଏ ସୂଚନା ଆଗାମୀ ଦିନରେ ଜିଲ୍ଲାର ପ୍ରକୃତ ବିକାଶର ନକ୍ସା ପ୍ରସ୍ତୁତ କରିବାରେ ସହାୟକ ହେବ। ତେଣୁ କୌଣସି ବି ପରିସ୍ଥିତିରେ ଯେପରି କୌଣସି ଗ୍ରାମ ବା ତଥ୍ୟ ଏହି ପ୍ରକ୍ରିୟାରୁ ବାଦ ନପଡ଼େ, ସେଥିପାଇଁ ସମସ୍ତଙ୍କୁ ଅତି ସତର୍କତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande