
ସାମ୍ବା, ୨୫ ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର ସାମ୍ବା ଏବଂ କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିବା ପରେ ସୁରକ୍ଷା ବାହିନୀ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସାମ୍ବା ବିଜୟପୁର ଅଂଚଳର ତାରୋର ଗ୍ରାମରେ ସେନା କର୍ମଚାରୀଙ୍କ ଦ୍ୱାରା ପାକିସ୍ତାନୀ ଡ୍ରୋନ୍ ବୋଲି ସନ୍ଦେହ କରାଯାଉଥିବା ଏକ ବସ୍ତୁ ଆକାଶରେ ଦେଖିବାକୁ ମିଳିଥିଲା । ଏହା ପରେ, ଡ୍ରୋନ୍ ବିରୋଧୀ ପଦକ୍ଷେପ ଆରମ୍ଭ କରାଯାଇଥିଲା । ସେମାନେ କହିଛନ୍ତି ଯେ, ଡ୍ରୋନ୍ ପାକିସ୍ତାନକୁ ଫେରିଥିବା ବିଶ୍ୱାସ କରାଯାଉଛି ।
ସେହିଭଳି, ଶୁକ୍ରବାର ସନ୍ଧ୍ୟାରେ କଠୁଆ ଜିଲ୍ଲାର ହୀରାନଗର ସେକ୍ଟରର ଚକ୍ ନାଲୁଆ ଗ୍ରାମ ଉପରେ ଏକ ସନ୍ଦିଗ୍ଧ ଡ୍ରୋନ୍ କିଛି ସମୟ ପାଇଁ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ବୋଲି ଅଧିକାରୀମାନେ କହିଛନ୍ତି । କୌଣସି ସମ୍ଭାବ୍ୟ ପେଲୋଡ କିମ୍ବା ଡ୍ରୋନ୍ କାର୍ଯ୍ୟକଳାପର ପ୍ରମାଣ ଖୋଜିବା ପାଇଁ ସୁରକ୍ଷା ବାହିନୀ ଉଭୟ ସ୍ଥାନରେ ବ୍ୟାପକ ସର୍ଚ୍ଚ ଅପରେସନ କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ବାରମ୍ବାର ଡ୍ରୋନ୍ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସୀମା ନିକଟରେ ନଜର ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ