
ଜୟପୁର, ୨୫ ଜୁଲାଇ(ହି.ସ.) – ମାଳଭୂମି କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ୍ ନଥିବାରୁ ଫାଇଦା
ଉଠାଉଛି ପଡ଼ୋଶୀ ଆନ୍ଧ୍ର। ଅମଳ ଫସଲକୁ ଚାଷୀଙ୍କ ନିକଟରୁ କିଣିନେଇ ନିଜ ନାଁରେ ବ୍ରାଣ୍ଡ ଲଗାଇ ଜାତୀୟ ବଜାରରେ ବିକ୍ରି କରୁଛି। କୋରାପୁଟ ଜିଲ୍ଲାର ୩ ହଜାର ହେକ୍ଟର ଜମିରେ କଫି ଚାଷ ହେଉଛି। ଯେଉଁଥିରୁ ବାର୍ଷିକ ୫ଶହ ମେଟ୍ରିକ ଟନ୍ କଫି ଉତ୍ପାଦନ ହେଉଛି। ସେହିପରି ୧୫୫୦ ହେକ୍ଟର ଜମିରୁ ୧୧୫ ମେଟ୍ରିକ ଟନ୍ ଗୋଲମରିଚ, ୪୨୨୩ ହେକ୍ଟର ଜମିରୁ ୫୮,୧୨୦ ମେଟ୍ରିକ ଟନ୍ ଅଦା, ୩୩୭୩ ହେକ୍ଟର ଜମିରେ ୯ହଜାର ମେଟ୍ରିକ ଟନ୍ ଶୁଖିଲା ହଳଦୀ ଉତ୍ପାଦନ ହେଉଛି। ମାଣ୍ଡିଆ, ସୁଆଁ, ତେନ୍ତୁଳି ଉତ୍ପାଦନ ପରିମାଣ ବି କିଛି କମ୍ ନୁହେଁ। ଟିଡିସିସି କେବଳ କଫି, ମାଣ୍ଡିଆ, ଝାଡ଼ୁ ଓ ଶାଳ ମଞ୍ଜିର ବଜାରୀକରଣ କରୁଛି। ସୁଆଁ, ଗୋଲମରିଚ, ଅଦା, ହଳଦୀ, ଆଳୁ ଆଦି ଉତ୍ପାଦର ସରକାରୀ ସ୍ତରରେ ବଜାର ବ୍ୟବସ୍ଥା କି ପ୍ରକ୍ରିୟାକରଣ ୟୁନିଟ୍ ନାହିଁ।
ଟିଡିସିସି ଗୁଣାତ୍ମକ କଫି ଚେରୀ କେଜି ପିଛା ୧୦୫ ଟଙ୍କାରେ କିଣୁଥିବାବେଳେ ଆନ୍ଧ୍ର ବ୍ୟବସାୟୀ ସମସ୍ତ ପ୍ରକାର କଫି ଚେରୀ କେଜି ପିଛା ୧୦୦ ଟଙ୍କାରେ ଚାଷୀଙ୍କ ଘରକୁ ଯାଇ ଯୋଗାଇ ଦେଉଛନ୍ତି। ଚାରା ସହିତ ବର୍ଷ ତମାମର ଖର୍ଚ୍ଚ ମଧ୍ୟ ଦେଉଛନ୍ତି। ଫଳରେ ଉତ୍ପାଦନ ପରେ ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ ହିଁ ଫସଲ ଦେବା ପାଇଁ ବାଧ୍ୟ ହେଉଛନ୍ତି। ଓଡ଼ିଶାର ଉତ୍ପାଦ ନେଇ ଆରୁକୁ କଫି ନାଁରେ ବ୍ରାଣ୍ଡିଂ କରି ବିକ୍ରି କରୁଛି ଆନ୍ଧ୍ର। ହଳଦୀ ଚାଷ କ୍ଷେତ୍ରରେ ମଧ୍ୟ ସେଇୟା। ଅମଳ ସମୟରେ ଆନ୍ଧ୍ର ବ୍ୟବସାୟୀ ୮୦ରୁ ୧୦୦ ଟଙ୍କାରେ କିଣି ନେଇ ଆନ୍ଧ୍ରର ବିଭିନ୍ନ ମାଳଭୂମି ନାମରେ ବିକ୍ରି କରୁଛି। ଅଦା କେଜି ପିଛା ୩୦ରୁ ୪୦ ଟଙ୍କା ଏବଂ ଗୋଲମରିଚକୁ ଆନ୍ଧ୍ର ବ୍ୟବସାୟୀ କିଣି ନେଇ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରୁଛି। କେବଳ ମସଲା ନୁହେଁ ଜିଲ୍ଲାରେ ସୁଗନ୍ଧିତ ଫୁଲ ଓ ପତ୍ରର ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ ହେଉନି। ଜିଲ୍ଲା ଚାଷୀଙ୍କ ସୂଚନା ଅନୁଯାଇ କୋରାପୁଟରୁ ଉତ୍ପାଦନ ହେଉଥିବା ଭଳିକି ଭଳି ବାସନା ଚାଉଳ, ଗୋଲମରିଚ, କଫି, ମରିଚ, ହଳଦୀ ଓ ଅଦାର ସରକାରୀ ସ୍ତରରେ ବଜାର ବ୍ୟବସ୍ଥା ନାହିଁ। ପ୍ରକ୍ରିୟାକରଣ ୟୁନିଟ୍ ନଥିବାରୁ ଉତ୍ପାଦର ପ୍ରକୃତ ମୂଲ୍ୟାୟନ ହୋଇପାରୁନି। ଫଳରେ ଓଡ଼ିଶାର ଉତ୍ପାଦ ଆନ୍ଧ୍ର ସମେତ କେରଳ, ତାମିଲନାଡ଼ୁ, ଝାରଖଣ୍ଡ ଓ ଛତିଶଗଡ଼କୁ ଚାଲାଣ ହେଉଛି। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କହିଛନ୍ତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ଜିଲ୍ଲାର ବ୍ୟବସାୟୀମାନେ ଆଗକୁ ଆସିଲେ ତାହା ଫଳପ୍ରଦ ହୋଇ ପାରିଥାନ୍ତା।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି