
ଜୟପୁର, ୨୧ ଅଗଷ୍ଟ(ହି.ସ.) – ଜୟପୁର ସ୍ଥିତ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଠାରେ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏବଂ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏକ ବୈଜ୍ଞାନିକ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୁନ୍ଦ୍ରା ବ୍ଲକର ବ୍ଲକ କୃଷି ଅଧିକାରୀ, ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରକଳ୍ପ ସଂଯୋଜକ ଏବଂ ବୈଷୟିକ ଦଳ, ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ କର୍ମକର୍ତା, ସ୍ଥାନୀୟ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଯୋଗ ଦେଇଥିଲେ।
ଏହି ସହଭାଗୀତା କୋରାପୁଟର ସ୍ୱଦେଶୀ ପ୍ରସିଦ୍ଧ କଳାଜିରା ଏବଂ ଅନ୍ୟାନ୍ୟ ସୁଗନ୍ଧିତ, ପୁଷ୍ଟିକର ଧାନ କିସମର ପ୍ରୋତ୍ସାହନ ଏବଂ ବ୍ୟବସାୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ, ଯାହା ଆଦିବାସୀ ମହିଳା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବନ ଜୀବିକା ଏବଂ ଆୟ ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦେବ।
ଏହି ପଦକ୍ଷେପ ଅଧିନରେ, ଦେଶୀ ଧାନ କିସମର ବିଶୁଦ୍ଧ ବିହନ ଚୟନ ଓ ଏହାର ଚିହ୍ନଟକରଣ, ଉତ୍ପାଦନ, ସଂରକ୍ଷଣ, ବଜାରିକରଣ ଏବଂ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମ ପାରମ୍ପରିକ ଧାନ କିସମ ପାଇଁ ବଜାର ସଂଯୋଗୀକରଣକୁ ମଧ୍ୟ ସହଜ କରିବ, ଯାହା ମିଶନ ଶକ୍ତି ବିଭାଗ ଅଧିନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଦିବାସୀ ଚାଷୀ ସମ୍ପ୍ରଦାୟ ପାଇଁ ଉତମ ଲାଭ ଦାୟକ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି