
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲାକୁ ତୁରନ୍ତ ବନ୍ୟା ପ୍ରଭାବିତ ଅଂଚଳ ଘୋଷଣା କରିବାକୁ ଦାବି କରିଛି ବିଜେଡି । ଆଜି ବିଜେଡିର ଏକ ଉଚ୍ଚସ୍ତରୀୟ ଟିମ୍ ବନ୍ୟାଂଚଳ ପରିଦର୍ଶନ କରିବା ପରେ କେନ୍ଦ୍ରାପଡା ଜିଲାପାଳଙ୍କୁ ଭେଟି ବନ୍ୟାଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଟିମ୍ ର ସଦସ୍ୟ ମାନେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ସହ ଆଲୋଚନା କରିଥିଲେ। ବନ୍ୟାଂଚଳରେ ପ୍ରର୍ଯ୍ୟାପ୍ତ ପରିମାଣର ରିଲିଫ ଓ ପାନୀୟଜଳ ଯୋଗାଇ ଦେବାକୁ ବିଜେଡି ଦାବି କରିଛି। ସେହିପରି ଫସଲ ହାନିର ଆକଳନ ସହ କୃଷିରୁଣ ଛାଡ, ଗୋଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ତଦାରଖ କରିବା ପାଇଁ ଦାବି ହୋଇଥିଲା। ତେବେ ଚଳିତ ବନ୍ୟାର ପରିଚାଳନାରେ ରାଜ୍ୟସରକାର ବିଫଳ ବୋଲି ଅଭିଯୋଗ କରିବା ସହ ଲୋକମାନଙ୍କ ସମସ୍ୟାକୁ ଅଣଦେଖା କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରତାପ ଜେନା କହିଛନ୍ତ। ଏହି ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡା ମୁନିସିପାଲିଟି ଚେୟାରମ୍ୟାନ ସରିତା ସାହୁଙ୍କ ସମେତ ବହୁ ପଂଚାୟତ ପ୍ରତିନିଧି ଓ ଦଳୀୟ କର୍ମୀ ଜିଲାପାଳଙ୍କୁ ଭେଟି ଥିଲେ। ପ୍ରତିନିଧି ଦଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି