
ନୂଆପଡ଼ା, ୨୭ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ଖେଲୋ ଇଣ୍ଡିଆ’ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କ୍ରୀଡ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି, ଯୁବପିଢ଼ିକୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ଆସିବାକୁ ପ୍ରୋତ୍ସାହନ ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ତା, ଏନଏସଏସ ଜିଲା ଯୋଜନା ଅଧିକାରୀ ଅଧ୍ୟାପିକା ପ୍ରଣତୀ ପଣ୍ଡା, ଅଧ୍ୟାପକ ବିବେକ ସାହୁ, ଛାତ୍ରୀ ବିଳାସିନୀ ଭୁୟାଁଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ, ଶାରୀରିକ ସୁସ୍ଥତା ଏବଂ ଯୁବ ପ୍ରତିଭାଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ ନେଇ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ନିୟମିତ କ୍ରୀଡ଼ାରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ବିକାଶ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ଜିଲା କବାଡ଼ି କୋଚ ଦେବବ୍ରତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। କ୍ରୀଡ଼ାକୁ ଶିକ୍ଷାର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ମତ ବିନିମୟ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ