
ନୂଆପଡ଼ା,୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ପଂଚାୟତର ଅଁଳାଭଟା ଗ୍ରାମର ଭିନ୍ନକ୍ଷମ ମହିଳା ରତ୍ନା ତାଣ୍ଡିଙ୍କୁ ତାଙ୍କର ୮୦ ପ୍ରତିଶତ ସ୍ଥାୟୀ ଭିନ୍ନକ୍ଷମ ପ୍ରମାଣପତ୍ର ଥିବା ସତ୍ୱେ ନିୟମାନୁସାରେ ମିଳିବାକୁ ଥିବା ୩୫୦୦ ଟଙ୍କା ପରିବର୍ତେ ଗତ ଦୁଇ ବର୍ଷ ଧରି ମାତ୍ର ୧୦୦୦ ଟଙ୍କା ଭତା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ରତ୍ନା ତାଣ୍ଡି ବାରମ୍ବାର ବୋଡ଼େନ ବ୍ଲକ ପ୍ରଶାସନଙ୍କ ନିକଟରେ ଏହି ସମସ୍ୟା ଉଠାଇଥିଲେ ମଧ୍ୟ, ଆଜି ହେବ, କାଲି ହେବ' କିମ୍ବା ଉପରକୁ ପଠାଯାଇଛି' ବୋଲି କହି ସମସ୍ୟାର ସମାଧାନ କରାଯାଉନଥିବା ଦାବି କରାଯାଇଛି। ଏହି ଘଟଣାର ନିରପେକ୍ଷ ଓ ଉଚିତ ତଦନ୍ତ କରି ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ରତ୍ନା ତାଣ୍ଡିଙ୍କୁ ୩୫୦୦ ଟଙ୍କା ଭତା ଶ୍ରେଣୀରେ ସାମିଲ କରିବା ଏବଂ ଗତ ଦୁଇ ବର୍ଷର ବକେୟା ଭତା ଏକକାଳୀନ ପ୍ରଦାନ କରିବାକୁ ଦାବି କରିଛନ୍ତି ସମାଜସେବୀ ହେମନ୍ତ କୁମାର ତାଣ୍ଡି । ସେ କହିଛନ୍ତି, ଖୁବ୍ଶୀଘ୍ର ଏହି ପ୍ରସଙ୍ଗରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଯଦି ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ବୋଡ଼େନ ବ୍ଲକ କାର୍ଯ୍ୟାଳୟ ଘେରାଓ କରାଯିବ। ଏଥିପାଇଁ ବୋଡ଼େନ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ବିଏସଏସଓ କୁମର ମାଝୀଙ୍କୁ ଯୋଗାଯୋଗ କରାଯିବାରୁ କଣ ହୋଇଛି, ଦେଖୁଛି ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ