
ନୂଆପଡ଼ା,୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଢ଼ଙ୍କଶର ଗ୍ରାମର ବାସିନ୍ଦା ତଥା ସାରାବଙ୍ଗ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଦେବେନ୍ଦ୍ର ନାଗଙ୍କର ଗୁରୁବାର ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଶିକ୍ଷାଜଗତ ସମେତ ସମଗ୍ର ଅଙ୍ଘ;ଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଦେବେନ୍ଦ୍ର ନାଗ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକତା ଜୀବନ ଆରମ୍ଭ କରି ଉକ୍ଷମ ନାଗରିକ ଗଠନରେ ନିଜକୁ ସମର୍ପିତ କରିଥିଲେ। ଖଡ଼ିଆଳ ଶିଶୁମନ୍ଦିରରେ ୧୪ ବର୍ଷ ଧରି ଶିକ୍ଷକତା କରିବା ପରେ ସେ ତୁକୁଲା, ଡୁଆଝର, ସୁନାରିସିକୁଆ, ବଙ୍ଗୋମୁଣ୍ଡା ଓ ସାରାବଙ୍ଗ ଶିଶୁମନ୍ଦିରରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। କିଛିଦିନ ହେବ ସେ ହୃଦରୋଗରେ ପୀଡ଼ିତ ଥିଲେ। ପ୍ରଥମେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ରାୟପୁରକୁ ନିଆଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରିବାରରେ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି। ଢ଼ଙ୍କଶର ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ସୌରଭ ନାଗ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ଦେବେନ୍ଦ୍ର ନାଗଙ୍କ ବିୟୋଗରେ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
------------
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ