
ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ରେଳ ଷ୍ଟେସନ ପାସେଞ୍ଜର ୟାର୍ଡ ନିକଟରେ ଦକ୍ଷିଣ ପୂର୍ବ ରେଳପଥ ଦ୍ୱାରା ନୂତନ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ନିର୍ମାଣାଧୀନ ଓଭରବ୍ରିଜର ଆପ୍ରୋଚ୍ ରୋଡ୍ ସଂଯୋଗୀକରଣ କାର୍ଯ୍ୟ ଉଭୟ ପାର୍ଶ୍ୱରେ ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷା ତଥା ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଆରଟିଏ ଅଧ୍ୟକ୍ଷ କୁଣାଲ ମୋତିରାମ ଚହ୍ବାଣ ମୋଟର ଯାନ ଆଇନ, ୧୯୮୮ ର ଧାରା ୧୧୫ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, ସମ୍ପୃକ୍ତ ରାସ୍ତାର ମୋଟ ୧୨ ମିଟର ପ୍ରଶସ୍ତ ମଧ୍ୟରୁ ୫ ମିଟର ଅଂଶରେ ଯାନବାହାନ ଚଳାଚଳ ଉପରେ ସାମୟିକ କଟକଣା ଲଗାଯାଇଛି।
ସେପ୍ଟେମ୍ବର ୧୮, ୨୦୨୬ ରୁ ସେପ୍ଟେମ୍ବର ୨୯, ୨୦୨୬ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା ସୂଚନା ଦେଇଛନ୍ତି। ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସାଧାରଣ ନାଗରିକ ତଥା ଯାନବାହନ ଚାଳକମାନଙ୍କୁ ସହଯୋଗ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ