ସହରାଂଚଳରେ ଡିଜିଟାଲ୍ ପେମେଂଟ ବ୍ୟବସ୍ଥାକୁ ସୁଦୃଢ଼ କରିବ ନଗର ଉନ୍ନୟନ ବିଭାଗ- ଏସବିଆଇ ଇପେ ସହଭାଗିତା
ସୁଯୋଗ ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଓ ସହଜ ଡିଜିଟାଲ୍ ପେମେଂଟ ସୁବିଧା ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ରାଜ୍ୟର ସହରାଂଚଳରେ ଡିଜିଟାଲ୍ ପେମେଂଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସୁଯୋଗ'' ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ
ସହରାଂଚଳରେ ଡିଜିଟାଲ୍ ପେମେଂଟ ବ୍ୟବସ୍ଥାକୁ ସୁଦୃଢ଼ କରିବ ନଗର ଉନ୍ନୟନ ବିଭାଗ- ଏସବିଆଇ ଇପେ ସହଭାଗିତା


ସୁଯୋଗ ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଓ ସହଜ ଡିଜିଟାଲ୍ ପେମେଂଟ ସୁବିଧା

ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ରାଜ୍ୟର ସହରାଂଚଳରେ ଡିଜିଟାଲ୍ ପେମେଂଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସୁଯୋଗ' ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଂଟ ଆଗ୍ରିଗେଟର୍ ସେବା ଏସବିଆଇ ଇପେ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।।

ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗର ଅତିରିକ୍ତ ସଚିବ ସୁଭେନ୍ଦୁ ସାହୁ ଏବଂ ଏସବିଆଇ ପକ୍ଷରୁ ଡିଜିଏମ୍ , ଡି ଆଣ୍ଡ ଟିବି ସୁଶାନ୍ତ କୁମାର ଦାଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏସ୍ ବି ଆଇ ଓଡ଼ିଶା ସର୍କଲ ୍ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ସହଭାଗିତା ଫଳରେ ନାଗରିକମାନେ ସୁଯୋଗ' ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପୌର ସେବା, ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ପାଇଁ ଅନ୍ ଲାଇନ୍ ରେ ପେମେଂଟ କରିପାରିବେ । ଏଥିପାଇଁ ଇଂଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ୱାଲେଟ୍ ଭଳି ବିଭିନ୍ନ ଡିଜିଟାଲ୍ ପେମେଂଟ ବିକଳ୍ପ ଉପଲବ୍ଧ ହେବ ।

ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ନାଗରିକଙ୍କ ପାଇଁ ସରକାରୀ ପେମେଂଟ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସହଜଲଭ୍ୟ କରିବା ସହିତ ନିୟମିତ ପୌର କାରବାର ପାଇଁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତାକୁ କମାଇବା । ଏହା ସହରାଂଚଳ ଶାସନରେ ସ୍ୱଚ୍ଛତା, ଦକ୍ଷତା ଓ ପେମେଂଟ ପ୍ରକ୍ରିୟାର ସୁଗମତାକୁ ଆହୁରି ବଢ଼ାଇବ।

ଏହି ପେମେଂଟ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସଂଗୃହୀତ ଅର୍ଥର ସୁଗମ ସେଟଲମେଂଟ ବ୍ୟବସ୍ଥା । ପେମେଂଟ ଗେଟୱେ ଜରିଆରେ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥା ଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ ଟି+୧ ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟଲମେଂଟ କରାଯିବ। ଫଳରେ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକରଣ ଓ ଟ୍ରାକିଂ ସମ୍ଭବ ହେବ ।ଏହା ଡିଜିଟାଲ୍ ପେମେଂଟ ସେବାରେ ଅଧିକ ସ୍ୱଚ୍ଛତା ଆଣିବା ସହ ନାଗରିକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବ ।

ଏହି ଅବସରରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସୁଯୋଗ' ପ୍ଲାଟଫର୍ମକୁ ସୁଦୃଢ଼ କରିବାରେ ଷ୍ଟେଟବ୍ୟାଙ୍କ ତରଫରୁ ମିଳିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ଏହି ସହଭାଗିତା ଡିଜିଟାଲ୍ ମାଧ୍ୟମରେ ନାଗରିକ ସେବାର ଦକ୍ଷତା, ସୁବିଧା ଓ ସହଜଲଭ୍ୟତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ।

ଷ୍ଟେଟବ୍ୟାଙ୍କ ଓଡ଼ିଶା ସର୍କଲ୍ ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରାକେଶ ଯାଦବ ଏହି ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନ ଏବଂ ସୁଯୋଗ ଅଧୀନରେ ଡିଜିଟାଲ୍ ପେମେଂଟ ପରିବେଶକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ ।

ଏହି ସହଭାଗିତା ଓଡ଼ିଶାର ଡିଜିଟାଲ୍ ସହରାଂଚଳ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୌର ସେବା ପ୍ରଦାନ ବ୍ୟବସ୍ଥା ସହ ଏକ ସମନ୍ୱିତ ଓ ସୁରକ୍ଷିତ ପେମେଂଟ ଗେଟୱେକୁ ସଂଯୋଜନ କରିବା ଫଳରେ ରାଜ୍ୟର ନାଗରିକମାନଙ୍କ ପାଇଁ ସହରାଂଚଳ ଟିକସ, ଫି’ ଓ ୟୁଟିଲିଟି ଚାର୍ଜ ପୈଠ କରିବା ଅଧିକ ଦ୍ରୁତ, ସରଳ, ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande