ସିରିଆପାଲି ଯୁବକ ମୃତ୍ୟୁ ମାମଲା: ଆଉ ୨ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୭
Another two arrested in Kolabira murdered case
ସିରିଆପାଲି ଯୁବକ ମୃତ୍ୟୁ ମାମଲା: ଆଉ ୨ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୭


ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଗ୍ରାମର ଯୁବକ ଦେବେନ୍ଦ୍ର ସୁନାନୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ମିଶାଇ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

କୋଲାବିରା ଥାନା ଏସ୍ଆଇ ସନ୍ତୋଷ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତ ହେଲେ କୁମୁଡ଼ାପାଲି ଗ୍ରାମର ରାହୁଲ ଦେହୁରୀଆ (୨୬) ଓ ତାଙ୍କ ଭାଇ ପାଉଲ ଦେହୁରୀଆ (୨୧)। ଉଭୟଙ୍କୁ ରବିବାର ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ସିରିଆପାଲି ଗ୍ରାମର ୧୯ ବର୍ଷୀୟ ଦେବେନ୍ଦ୍ର ସୁନାନୀ ଗତ ୧୦ ତାରିଖରୁ ନିଖୋଜ ଥିଲେ। ନିଖୋଜ ହେବାର ପ୍ରାୟ ୫ ଦିନ ପରେ ଜାତୀୟ ରାଜପଥ-୪୯ କଡ଼ରେ ଥିବା ଏକ ନାଳ ହିଡ଼ର ବୁଦା ଭିତରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ପକ୍ଷରୁ ଏହାକୁ ହତ୍ୟା ଅଭିଯୋଗ କରାଯାଇଥିଲା।

ପୋଲିସ ତଦନ୍ତରୁ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ, ଦେବେନ୍ଦ୍ର କିଛି ସହଯୋଗୀଙ୍କ ସହ କୁମୁଡ଼ାପାଲି ଅଞ୍ଚଳକୁ ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇଥିଲେ। ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ତାର କାଟୁଥିବା ସମୟରେ ସେ ଭାରସାମ୍ୟ ହରାଇ ତଳକୁ ପଡ଼ିଯାଇଥିଲେ। ଏହାପରେ ଘଟଣାକୁ ଲୁଚାଇବା ପାଇଁ ତାଙ୍କ ସହ ଥିବା ଅନ୍ୟମାନେ ଦେବେନ୍ଦ୍ରଙ୍କୁ ନାଳ ହିଡ଼ ବୁଦା ଭିତରେ ଛାଡ଼ି ପଳାଇଥିବା ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

ଏହି ମାମଲାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଆଉ ଦୁଇ ଜଣ ଗିରଫ ହେବା ପରେ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande