
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବୁଧବାର ମଧ୍ୟ ବିରୋଧୀ ଦଳର ବିଧାୟକମାନଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଗୃହର ପ୍ରଥମାର୍ଦ୍ଧର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନାହିଁ। ଓଡ଼ିଶାର ସ୍ୱାର୍ଥ ବିରୋଧୀ ଦର୍ଶାଇ ଏମଏମ଼଼ଡିଆର ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ସମେତ ଗୃହର ନିର୍ଦ୍ଧାରିତ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ 10.35ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ସକାଳ ୧୦ଟା ୩୦ ମିନିଟରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଆରମ୍ଭ କରିବାକୁ ଯାଇଥିବା ବେଳେ ବିରୋଧୀ ବିଧାୟକମାନେ ଏମଏମ଼଼ଡିଆର ଆଇନକୁ ନେଇ ନାରାବାଜି ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନ ଛାଡ଼ି ଗୃହର ମଧ୍ୟଭାଗକୁ ଆସି ଜୋରଦାର ନାରାବାଜି କରିଥିଲେ। ସେମାନଙ୍କ ହାତରେ ବିଭିନ୍ନ ଦାବି ଓ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ରହିଥିଲା।
ହଟ୍ଟଗୋଳ ମଧ୍ୟରେ ଉପବାଚସ୍ପତି ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଡାକିଥିଲେ । ଗୃହରେ ଜୋରଦାର ନାରାବାଜି ଜାରି ରହିଥିଲେ ମଧ୍ୟ ମନ୍ତ୍ରୀ ପାତ୍ର ତାଙ୍କ ଉତ୍ତର ଜାରି ରଖିଥିଲେ। ଏହାପରେ ବିଧାୟକ ମାନସ ଦତ୍ତ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ତେବେ ଗୃହରେ ଲାଗି ରହିଥିବା ପ୍ରବଳ ହଟ୍ଟଗୋଳ ଯୋଗୁଁ ତାଙ୍କ ସ୍ୱର ମିଡିଆ ଗ୍ୟାଲେରୀ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଭାବେ ଶୁଣାଯାଇପାରି ନଥିଲା।
ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ହଟ୍ଟଗୋଳ କରୁଥିବା ବିରୋଧୀ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହର କାର୍ଯ୍ୟ ସୁଚାରୁ ରୂପେ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ନାରାବାଜି ଜାରି ରଖିଥିଲେ ।
ଏହାପରେ ଉପବାଚସ୍ପତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଆହ୍ୱାନ କରିଥିଲେ। ସିଂହଦେଓ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଥିଲେ। ତେବେ ବିରୋଧୀ ବିଧାୟକମାନଙ୍କ ପ୍ରତିବାଦ ଓ ନାରାବାଜି ଥମି ନଥିଲା। ପରିସ୍ଥିତି ସ୍ୱାଭାବିକ ନହେବାରୁ ଉପବାଚସ୍ପତି ଗୃହର କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିଲା। ପ୍ରଥମ ଦିନ ମଧ୍ୟ ଏମଏମ଼଼ଡିଆର ଆଇନ ପ୍ରତ୍ୟାହାର ଏବଂ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଦିବଙ୍ଗତ ବିଧାୟକମାନଙ୍କ ପାଇଁ ଶୋକ ପ୍ରସ୍ତାବ ଏବଂ ନେପାଳରେ ହୋଇଥିବା ବନ୍ୟାକୁ ନେଇ ଶୋକ ପ୍ରକାଶ ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ ଆରମ୍ଭ କରିଥିଲେ। ହଟ୍ଟଗୋଳ ଯୋଗୁଁ ଅଧିବେଶନର ପ୍ରଥମ ଦିନ ମଧ୍ୟ ଗୃହର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା