ବନ୍ୟଜନ୍ତୁ ସୁରକ୍ଷା ଓ ରିପୋର୍ଟିଂ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସଚେତନତା, ବନ୍ୟଜନ୍ତୁ ସମ୍ପର୍କିତ ଖବର ପ୍ରକାଶ ବେଳେ ସତର୍କତା, ନିଜ ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ଉପରେ ଗୁରୁତ୍ୱ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ବନ୍ୟଜନ୍ତୁ, ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଖବର ପ୍ରସ୍ତୁତି ଓ ପ୍ରକାଶନ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ କିପରି ସଚେତନ ଓ ସତର୍କ ରହିବେ, ତାହାକୁ ନେଇ ଭଦ୍ରକ ୱାଇଲ୍ଡଲାଇଫ୍ ଡିଭିଜନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ
BANYAJANTU SURAKHYA SACHETANATA


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ବନ୍ୟଜନ୍ତୁ, ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଖବର ପ୍ରସ୍ତୁତି ଓ ପ୍ରକାଶନ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ କିପରି ସଚେତନ ଓ ସତର୍କ ରହିବେ, ତାହାକୁ ନେଇ ଭଦ୍ରକ ୱାଇଲ୍ଡଲାଇଫ୍ ଡିଭିଜନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନ୍ୟଜନ୍ତୁ ସମ୍ପର୍କିତ ଘଟଣାର ଖବର ସଂଗ୍ରହ କରିବା ସମୟରେ ସାମ୍ବାଦିକଙ୍କ ନିଜସ୍ୱ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ କିପରି ପ୍ରାଥମିକତା ଦିଆଯିବ, ସେନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବନ୍ୟଜନ୍ତୁ ସମ୍ପର୍କିତ ଖବର ସାଧାରଣ ଲୋକଙ୍କ ମଧ୍ୟରେ ତୁରନ୍ତ ପ୍ରଭାବ ପକାଇଥାଏ। ଏକ ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ଲୋକଙ୍କ ନିକଟରେ ପହଂଚିଲେ ଏହା ସଚେତନତା ସୃଷ୍ଟି କରିପାରେ। ଅନ୍ୟପକ୍ଷରେ ଅସତ୍ୟ, ଅସମ୍ପୂର୍ଣ୍ଣ କିମ୍ବା ଅତିରଞ୍ଜିତ ତଥ୍ୟ ପ୍ରକାଶ ପାଇଲେ ଲୋକଙ୍କ ମଧ୍ୟରେ ଭୟ କିମ୍ବା ଭ୍ରାନ୍ତି ସୃଷ୍ଟି ହୋଇପାରେ। ତେଣୁ ବନ୍ୟଜନ୍ତୁ ସମ୍ପର୍କିତ ରିପୋର୍ଟିଂରେ ତଥ୍ୟର ସଠିକତା, ଦାୟିତ୍ୱବୋଧ ଓ ସମ୍ବେଦନଶୀଳତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟଜନ୍ତୁ ସମ୍ପର୍କିତ ଘଟଣାସ୍ଥଳରେ ଖବର ସଂଗ୍ରହ ସମୟରେ ସାମ୍ବାଦିକମାନେ ଅଯଥା ରିସ୍କ ନନେବାକୁ ପରାମର୍ଶ ଦିଆଯାଇଥିଲା। ବନ୍ୟଜନ୍ତୁଙ୍କ ନିକଟକୁ ଯାଇ ଫଟୋ କିମ୍ବା ଭିଡିଓ ନେବା, ଭିଡ଼ କରିବା କିମ୍ବା ବନ୍ୟଜନ୍ତୁଙ୍କ ଚଳାଚଳରେ ବାଧା ସୃଷ୍ଟି କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରିବା ସହ ସୁରକ୍ଷିତ ଦୂରତାରେ ରହି ରିପୋର୍ଟିଂ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟଜନ୍ତୁ ଯେତେବେଳେ ଭୟଭୀତ କିମ୍ବା ଉତେଜିତ ଅବସ୍ଥାରେ ଥାଏ, ସେତେବେଳେ ଲୋକଙ୍କ ଅସାବଧାନତା ଉଭୟ ମଣିଷ ଓ ବନ୍ୟଜନ୍ତୁ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସଚେତନ କରାଯାଇଥିଲା। ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ବନ୍ୟଜନ୍ତୁ ଓ ପରିବେଶ ସମ୍ପର୍କିତ ଖବର ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ସଚେତନତାର ବାର୍ତା ପହଂଚାଯାଇପାରେ। ଗାଁ ଓ ସହରାଂଚଳରେ ବନ୍ୟଜନ୍ତୁଙ୍କ ସହ ମଣିଷର ସଂଘାତ ହେଲେ କିପରି ସତର୍କ ରହିବା, କେଉଁ ପଦକ୍ଷେପ ନେବା ଏବଂ କେଉଁ ଅଧିକାରୀଙ୍କୁ ସୂଚନା ଦେବା ଆବଶ୍ୟକ, ସେନେଇ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। କେବଳ ଘଟଣାକୁ ଖବର ଭାବେ ପ୍ରକାଶ କରିବା ନୁହେଁ, ଘଟଣାର ପୃଷ୍ଠଭୂମି, ବନ୍ୟଜନ୍ତୁ ସୁରକ୍ଷାର ଆବଶ୍ୟକତା ଏବଂ ଲୋକଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସଠିକ୍ ତଥ୍ୟ ଦେବା ଆବଶ୍ୟକ ବୋଲି ଆଲୋଚନାରେ କୁହାଯାଇଥିଲା। କାର୍ଯ୍ୟକ୍ରମରେ ଭଦ୍ରକ ୱାଇଲ୍ଡଲାଇଫ୍ ଡିଭିଜନର ଡିଏଫଓଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ରେଞ୍ଜର ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ବନ୍ୟଜନ୍ତୁ ସୁରକ୍ଷା, ବନ୍ୟଜନ୍ତୁ ଉଦ୍ଧାର, ମଣିଷ–ବନ୍ୟଜନ୍ତୁ ସଂଘାତ ଏବଂ ରିପୋର୍ଟିଂ ସମୟରେ ଅବଲମ୍ବନୀୟ ସତର୍କତା ଭଳି ବିଭିନ୍ନ ବିଷୟରେ ମତବିନିମୟ କରାଯାଇଥିଲା। ବନ ବିଭାଗ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ରହିଲେ ବନ୍ୟଜନ୍ତୁ ସମ୍ପର୍କିତ ଖବର ଅଧିକ ତଥ୍ୟଭିତିକ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଲୋକଙ୍କ ନିକଟରେ ପହଂଚିପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଇସିଓ ସଂଗଠନର ପ୍ରତିଷ୍ଠାତା ଅରବିନ୍ଦ ସାମଲ ମଧ୍ୟ ଉପସ୍ଥିତ ରହି ବନ୍ୟଜନ୍ତୁ ସୁରକ୍ଷା ଓ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମତ ରଖିଥିଲେ। ବନ୍ୟଜନ୍ତୁ ସମ୍ପର୍କିତ ଘଟଣାର ଖବର ପ୍ରକାଶ ସମୟରେ ତଥ୍ୟର ସଠିକତା ଓ ସମ୍ବେଦନଶୀଳତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା। ବନ୍ୟଜନ୍ତୁ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ; ଏଥିପାଇଁ ସାଧାରଣ ଲୋକ, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ବିଭାଗର ସମନ୍ୱିତ ସହଯୋଗ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପରସ୍ପର ସମନ୍ୱୟ ରଖି କାମ କରିବା ଉପରେ ମତ ରଖିଥିଲେ। ବନ୍ୟଜନ୍ତୁ ସମ୍ପର୍କିତ ସମ୍ବେଦନଶୀଳ ଘଟଣାରେ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ନୁହେଁ, ବରଂ ସଚେତନତା ଓ ସହଯୋଗର ମନୋଭାବ ସୃଷ୍ଟି କରାଯାଇପାରିବ। ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ମଣିଷର ସୁରକ୍ଷା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଏହି ଦିଗରେ ଗଣମାଧ୍ୟମ ନିଜ ଦାୟିତ୍ୱ ଠିକ୍ ଭାବରେ ତୁଲାଇଲେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସହାବସ୍ଥାନର ବାର୍ତା ଅଧିକ ପ୍ରଭାବଶାଳୀ ଭାବେ ସମାଜରେ ପହଂଚିପାରିବ। ଶେଷରେ ବନ୍ୟଜନ୍ତୁ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗଣମାଧ୍ୟମ ମାଧ୍ୟମରେ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ଖବର ସାଧାରଣ ଲୋକଙ୍କ ନିକଟରେ ପହଂଚିଲେ ବନ୍ୟଜନ୍ତୁ ସୁରକ୍ଷା ନେଇ ଜନସଚେତନତା ବଢ଼ିବା ସହ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଲୋକଙ୍କ ଦାୟିତ୍ୱବୋଧ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande