
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଏବେ ବି ସଙ୍କଟ ରେ ବ୍ଲକ ର ୩୬ ପଂଚାୟତ ରେ ବନ୍ୟା ଜଳ ମାଡ଼ି ଥିବାବେଳେ ବନ୍ୟାର ର ୪ ଦିନ ପରେବି ବ୍ଲକ ରେ ୧୦ ପଂଚାୟତ ରେ ବନ୍ୟାଜଳ କମି ନାହିଁ। ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଅନେକ ବନ୍ୟା ପ୍ରଭାବିତ ପଂଚାୟତରେ ନଳକୂପ ରେ ପାଣି ଗୋଳିଆ ହୋଇଥିବାରୁ ଲୋକେ ବାଧ୍ୟ ହୋଇ ସେହି ପାଣି ବ୍ୟବହାର କରୁଛନ୍ତି। ବନ୍ୟା ପରେ ସୁରକ୍ଷିତ ପାନୀୟଜଳ ଯୋଗାଣ ଓ ନଳକୂପ ବିଶୋଧନ ରେ ପ୍ରଶାସନର ତତ୍ପରତା ନେଇ ଏବେ ପ୍ରଶ୍ନ ଉଠିଛି। ଅର୍ଜୁନପୁର, ପଧାନୀ, ସୋହଡ଼ା, ଖଡ଼ିପଦା, ଆନନ୍ଦପୁର, କରଦା, ଦଳାଙ୍ଗ, ଭଟସାହି, ହସନାବାଦ, ମୁସ୍ତଫାପୁର, କୋଠାର, ଅସୁରାଳି, କଟସାହି, ଖପରପଦା, ରଇପୁର ଓ ବୟାଙ୍ଗଡିହି ସମେତ ବିଭିନ୍ନ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଏବେ ବି ସମସ୍ୟା ହୋଇ ରହିଛି। ବହୁ ସ୍ଥାନରେ ନଳକୂପ ଚାରିପାଖରେ ବନ୍ୟାଜଳ ଜମି ରହିଥିବାରୁ ଦୂଷିତ ପାଣି ବାହାରୁଛି। ବନ୍ୟା ପରେ ନଳକୂପ ଗୁଡ଼ିକର ବିଶୋଧନ ଏବଂ ପାଣି ପରୀକ୍ଷା ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଅନେକ ଅଂଚଳରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇନଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ବିଶୋଧନ ନକରି ଗୋଳିଆ ପାଣି ବ୍ୟବହାର କଲେ ଜଳବାହିତ ରୋଗର ଆଶଙ୍କା ଥିବାରୁ ଏହାକୁ ନେଇ ବନ୍ୟା ବିପନ୍ନଙ୍କ ଚିନ୍ତା ବଢ଼ିଛି। ବନ୍ୟା ସମୟରେ ରିଲିଫ୍ ଓ ରନ୍ଧାଖାଦ୍ୟ ଯୋଗାଣ ସହ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ପାଣି ଯୋଗାଇବା ମଧ୍ୟ ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ହେଲେ ବନ୍ୟା ପାଣି ହ୍ରାସ ପାଇବା ପରେ ମଧ୍ୟ ଯଦି ଲୋକେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହୁଅନ୍ତି, ତେବେ ବନ୍ୟା ପରବର୍ତୀ ପ୍ରସ୍ତୁତିକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏନେଇ ଧାମନଗର ପାନୀୟଜଳ ବିଭାଗର ଯନ୍ତ୍ରୀ ପ୍ରଦୀପ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅନେକ ସ୍ଥାନରେ ଏବେ ବି ବନ୍ୟାପାଣି ଛାଡ଼ିନାହିଁ। ବନ୍ୟା ଜଳ କମିବା ପରେ ନଳକୂପ ବିଶୋଧନ କରାଯିବ। ବନ୍ୟା ପାଣି ହ୍ରାସ ପାଇବା ପରେ ତୁରନ୍ତ ନଳକୂପ ଗୁଡ଼ିକର ପାଣି ପରୀକ୍ଷା, ବିଶୋଧନ ଓ ପ୍ରଭାବିତ ଅଂଚଳରେ ବିକଳ୍ପ ସୁରକ୍ଷିତ ପାନୀୟଜଳ ଯୋଗାଣ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି। ନଚେତ ବନ୍ୟା ପରେ ପିଇବା ପାଣିକୁ ନେଇ ଆଉ ଏକ ସଙ୍କଟ ମୁଣ୍ଡ ଟେକିବା ଆଶଙ୍କା ରହିଛି।ତୁରନ୍ତ ବନ୍ୟା ଅଂଚଳ ରେ ପାଣି ପାଉଚ୍ ଓ ପାଣି ବୋତଲ ଯୋଗାଇ ଦେବାକୁ ବନ୍ୟା ବିପନ୍ନ ମାନେ ଦାବି କରିଛନ୍ତି ।ସୂଚନା ଥାଉକି କେତକ ପଂଚାୟତ ରେ ଘର ପିଛା ଗୋଟେ ଦୁଇଟି ପାଣି ବୋତଲ ଦେଉଥିବାର ଦେଖିବାକୁ ମିଳିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ