
ରାଉରକେଲା, ୫ ସେପ୍ଟେମ୍ବର (ହି.ସ.)- ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଜବତ ଘଟଣାରେ ଶନିବାର ମାଷ୍ଟରମାଇଣ୍ଡ ପ୍ରକାଶ ପାସୱାନର ଅଫିସ ଭାଙ୍ଗିଛି ପ୍ରଶାସନ । ସେକ୍ଟର-୨୧ ସମ୍ମୁଖ ଏକ ତାରକା ହୋଟେଲ ପାଖରେ ସଂରକ୍ଷିତ ଜଙ୍ଗଲ ଜମି ଉପରେ ନିର୍ମାଣ ହୋଇଥିଲା ଏହି କାର୍ଯ୍ୟାଳୟ । ଏଠାରେ ଅଫିସ୍ ନିର୍ମାଣ କରି ଏହାର ଉଦ୍ଘାଟନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ବରିଷ୍ଠ ବିଜେପି ନେତାମାନଙ୍କ ଉପସ୍ଥିତିରେ କରାଯାଇଥିଲା । ଏହି ଅଫିସରେ ରହି ଦଳର ସାଂଗଠନିକ କାମ ଓ ଲୋକ ମାନଙ୍କର ଭଲମନ୍ଦ ବୁଝିବା ପାଇଁ ସେ ଲକ୍ଷ୍ୟ ରଖିଥିଲା ବୋଲି କହି ଆସୁଥିଲା କିନ୍ତୁ, ଏହାର ଆଢୁଆଳରେ ସେହି ଜାଗାରୁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାର ରାଜ୍ୟର ଅପରାଧୀ ମାନଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିବା ସହ ନିଜର ଅପରାଧର ସାମ୍ରାଜ୍ୟ ଚଳାଉଥିଲା । କେବଳ ସେତିକି ନୁହେଁ ଏହି କାର୍ଯ୍ୟାଳୟରୁ ପ୍ରକାଶ ରାଉରକେଲା ଷ୍ଟିଲ୍ ପ୍ଲାଂଟ (ଆରଏସପି) ଭିତରେ ଥିବା ବିଭିନ୍ନ କମ୍ପାନୀ ମାନଙ୍କ ଠାରୁ ରୀତିମତ ବ୍ୟକ୍ତିଗତ ଫାଇଦା ନେଉଥିଲା । ମନ୍ତ୍ରୀଙ୍କ ପ୍ରତିନିଧିର ପ୍ରଭାବ ଏବଂ ଅପରାଧିକ ସାମ୍ରାଜ୍ୟର ସାହାସ ନେଇ ସେ ରାଉରକେଲା ଇସ୍ପାତ କାରଖାନାର ଏକ ଘରକୁ ମଧ୍ୟ ସେ ନିଜ ଦଖଲକୁ ଆଣି ତାହାକୁ ପୁନଃ ନିର୍ମାଣ କରୁଥିଲା । ତେବେ ପ୍ରକାଶର କାରବାର ସମ୍ପର୍କରେ ଆରଏସପି ଜାଣିବା ପରେ ସମ୍ପୃକ୍ତ ଘରଟିକୁ ନିକଟରେ ଆରଏସପି ନିଜ ଦଖଲକୁ ନେଇଛି । ସେପଟେ ଏହି ଜଙ୍ଗଲ ଜମି ଉପରେ ଥିବା ଅଫିସ୍ ଉପରେ ବିଭିନ୍ନ ପ୍ରଶ୍ନ ଉଠିବାରୁ ରାଉରକେଲା ଜଙ୍ଗଲ ବିଭାଗ ଅଧିକାରୀମାନେ ସେଠାରେ ପହଂଚି ସରଜମିନ ତଦନ୍ତ କରିଥିଲେ । ପରେ ଅଭିଯୁକ୍ତ ପ୍ରକାଶକୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । କାହିଁକି ତୁମର ଏହି କାର୍ଯ୍ୟାଳୟ ଉଚ୍ଛେଦ କରାଯିବ ନାହିଁ ବୋଲି ବିଭାଗ ପ୍ରଶ୍ନ କରିଥିଲା । ତେବେ ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଜବତ ଘଟଣାରେ ଗିରଫ ହୋଇ ରିମାଣ୍ଡ ସରିବା ପରେ ଏବେ ବିଚାର ବିଭାଗୀୟ ହାଜତରେ ଥିବା ପ୍ରକାଶ ଏନେଇ କୌଣସି ଉତର ରଖିପାରିନଥିଲା । ଫଳରେ ଆଜି ବନ ବିଭାଗର ଅଧିକାରୀମାନେ ପ୍ରଶାସନର ସହାୟତା ନେଇ ସମ୍ପୃକ୍ତ କାର୍ଯ୍ୟାଳୟକୁ ଭାଙ୍ଗିବା ସହିତ ଏହା ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଦସ୍ତାବିଜ୍ ଜବତ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।
ପ୍ରକାଶ ଥାଉକି, ପ୍ରକାଶ ପାସୱାନ ବିହାର ରାଜ୍ୟର ଜଣେ ଯୁବକ । ସେ ନିଜ ପରିବାର ସହିତ ଆସି କିଛି ବର୍ଷ ତଳେ ଗୋପବନ୍ଧୁପାଲ୍ଲୀ ଅଂଚଳରେ ଜମି ଜବରଦଖଲ କରି ବାସଗୃହ ନିର୍ମାଣ କରି ରହି ଆସୁଥିଲା । ପରେ ଅପରାଧିକ କାରବାରରେ ସାମିଲ୍ ହୋଇଥିଲା । ରାଉରକେଲା ପୋଲିସ ଜିଲ୍ଲାରେ ତା’ ନାମରେ ଅଦ୍ୟାବଧି ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ତେବେ କୌଣସି ପ୍ରକାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ହୋଇଯିବା ପରେ ପ୍ରକାଶ ନିର୍ଭୟରେ ତା’ର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିବା ସହ ସର୍କିଟ୍ ହାଉସ୍ ରେ ଅପରାଧୀମାନଙ୍କୁ ୨୧ ଦିନ ରଖି ଜଣେ ବଡ ନେତାଙ୍କ ମୁଣ୍ଡ ନେବା ପାଇଁ ଯୋଜନା କରୁଥିବା ଖବର ପୋଲିସ ନିକଟରେ ପହଂଚିବା ପରେ ପୋଲିସ ତଦନ୍ତ କରି ସେହି ମାମଲାରେ ୧୦ରୁ ୧୨ ଜଣଙ୍କୁ ଗିରଫ କରି ପ୍ରକାଶକୁ ଖୋଜୁଥିଲା । ପରେ ପ୍ରକାଶକୁ ବିହାରରୁ ଗିରଫ କରିଥିଲା । ଶେଷରେ ଆଜି ତା’ର ଅଫିସକୁ ଭଙ୍ଗାଗଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ