
ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.) - ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କୁ ନମନ କରିବା ସହ
ଗୁରୁଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରଥମ ଉପରାଷ୍ଟ୍ରପତି
ତଥା ମହାନ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଏବଂ ପବିତ୍ର ଗୁରୁ ଦିବସ
ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ସେ କହିଛନ୍ତି ଯେ, ଶିକ୍ଷା
କେବଳ ଜ୍ଞାନ ପ୍ରଦାନର ମାଧ୍ୟମ ନୁହେଁ, ଏହା ଜୀବନ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ବିଦ୍ୟାର୍ଥୀମାନଙ୍କୁ
ଗୁଣାତ୍ମକ ଶିକ୍ଷା ଦେବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା
ଓ ନୈତିକ ମୂଲ୍ୟବୋଧର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ
ଆମ ସମାଜରେ ଶିକ୍ଷକମାନଙ୍କୁ ‘ଗୁରୁ’ ଭାବେ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଏ।
ଆମ ଛାତ୍ରଛାତ୍ରୀଙ୍କୁ ଜ୍ଞାନ, ମୂଲ୍ୟବୋଧ
ଓ ଆତ୍ମବିଶ୍ୱାସରେ ସମୃଦ୍ଧ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଶିକ୍ଷକ ସମାଜ ନିଜର
ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିଷ୍ଠାର ସହିତ ନିର୍ବାହ କରିଚାଲିବେ ଏହା ଆଶା ଓ ବିଶ୍ୱାସ ପ୍ରକଟ
କରିଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା